ଓଡ଼ିଆ ପ୍ରାର୍ଥନା
ବିଦ୍ୟାଳୟ ପ୍ରାର୍ଥନା
ବିଦ୍ୟାଳୟ ପ୍ରାର୍ଥନା
ବିଷୟସୂଚୀ
୧. ଆହେ ଦୟାମୟ ବିଶ୍ୱ ବିହାରୀ
୨. ଭବ ସାଗର ତାରଣ କାରଣ ହେ
୩. ଶ୍ରୀ ଗୁରୁ ବନ୍ଦନା
୪. ହେ ଆନନ୍ଦମୟ କୋଟି
୫. କରୁଣା ସାଗର ପ୍ରଭୁ ହେ
୬. ତୁମେଟି ଜଗତ କରତା ଦୟାମୟ ଠାକୁର
୭. କି ସୁନ୍ଦର ଆହା କି ଆନନ୍ଦମୟ
ଆହେ ଦୟାମୟ ବିଶ୍ୱ ବିହାରୀ
କବି: ଶ୍ରୀ ରାମକୃଷ୍ଣ ନନ୍ଦ
ଆହେ ଦୟାମୟ ବିଶ୍ୱ ବିହାରୀ,
ଘେନ ଦୟା ବହି ମୋର ଗୁହାରି ।
ଜଳ ସ୍ଥଳ ବନ ଗିରି ଆକାଶ,
ତୁମ ଲୀଳା ସବୁଠାରେ ପ୍ରକାଶ ।
ତୁମେ ଶୁଭ ବୁଦ୍ଧି ପରା ଶିଖାଅ,
ତୁମେ ଭଲ ବାଟ ପରା ଦେଖାଅ ।
ମୋର କାମକୁ କରାଅ ସରସ,
ମୋର ମୁଖେ ଦିଅ ଚିର ହରଷ ।
ତୁମ ଚରଣରେ ମୋର ଭକତି,
ଦିଅ ବିପଦେ ସାହସ ଶକତି ।
କୂଟ କପଟ ସ୍ୱଭାବ ଯାହାର,
ତାଙ୍କୁ ଦୂରୁ ମୁଁ କରଇ ଜୁହାର ।
ମୋତେ ନମିଶାଅ ତାଙ୍କ ସାଥିରେ,
ସଦା ରଖ ସାଧୁଜନ କତିରେ ।
ଦୟା ବିନୟ ହେଉ ମୋ ଭୂଷଣ,
କାହା ମନେ ମୁଁ ନଦିଏ କଷଣ ।
ଦୁଃଖୀ ଅରକ୍ଷିତ ସେବା କାରଣେ,
ବଳ ଦିଅ ମୋର କର ଚରଣେ ।
ସତ କହିବାକୁ କିଆଁ ଡରିବି,
ସତ କହି ପଛେ ମଲେ ମରିବି ।
ମୋତେ ଏତିକି ସିଖାଅ ସାଇଁ ହେ,
ମୋର ଧନଜନ ଲୋଡା ନାହିଁ ହେ ।
ତୁମେ ସବୁଠାରୁ ବଡ଼ ଠାକୁର,
ସଦା ରହିବି ମୁଁ ତୁମ ପୟର ।
ଆହେ ଦୟାମୟ ବିଶ୍ୱ ବିହାରୀ,
ଘେନ ଦୟା ବହି ମୋର ଗୁହାରି ।
ଭବ ସାଗର ତାରଣ କାରଣ ହେ
ଭବ ସାଗର ତାରଣ କାରଣ ହେ ।
ରବିନଦନ ବନ୍ଧନ ଖଣ୍ଡନ ହେ ।
ଶରଣାଗତ କିଙ୍କର ଭୀତମନେ ।
ଗୁରୁଦେବ ଦୟାକର ଦୀନଜନେ।।
ହୃଦି କନ୍ଦର ତାମସ ଭାସ୍କର ହେ ।
ତୁମେ ବିଷ୍ଣୁ ପ୍ରଜାପତି ଶଙ୍କର ହେ ।
ପରଂ ବ୍ରହ୍ମ ପରାତ୍ପର ବେଦଭଣେ ।
ଗୁରୁଦେବ ଦୟାକର ଦୀନଜନେ।।
ମନ ବାରଣ ଶାସନ ଅଙ୍କୁଶ ହେ ।
ନର ତ୍ରାଣ ତରେ ହରି ଚାକ୍ଷୁଷ ହେ ।
ଗୁଣଗାନ ପରାୟଣ ଦେବଗଣେ ।
ଗୁରୁଦେବ ଦୟାକର ଦୀନଜନେ।।
କୁଳ କୁଣ୍ଡଳିନୀ ଘୁମ ଭଞ୍ଜନ ହେ ।
ହୃଦିି ଗ୍ରନ୍ଥି-ବିଦାରଣ -କାରଣ ହେ ।
ମନ ମାନସ ଚଞ୍ଚଳ ରାତ୍ର-ଦିନେ ।
ଗୁରୁଦେବ ଦୟାକର ଦୀନଜନେ।।
ରିପୁ-ସୂଦନ ମଙ୍ଗଳ ନାୟକ ହେ ।
ସୁଖ-ଶାନ୍ତି ପରଭୟ ଦାୟକ ହେ ।
ତ୍ରୟ ତାପ ହରେ ତବ ନାମ ଗୁଣେ ।
ଗୁରୁଦେବ ଦୟାକର ଦୀନଜନେ।।
ଅଭିମାନ-ପ୍ରଭାବ ବିମର୍ଦକ ହେ ।
ଗତିହୀନ ଜନେ ତୁମି ରକ୍ଷକ ହେ ।
ଚିତ୍ତ ଶଂକିତ ବଞ୍ଚିତ ଭକ୍ତି ଧନେ ।
ଗୁରୁଦେବ ଦୟାକର ଦୀନଜନେ।।
ତବ ନାମ ସଦା ଶୁଭ ସାଧକ ହେ ।
ପତିତାଧମ-ମାନବ ପାବକ ହେ ।
ମହିମା ତବ ଗୋଚର ଶୁଦ୍ଧମନେ ।
ଗୁରୁଦେବ ଦୟାକର ଦୀନଜନେ ।।
ଜୟ ସଦ୍ଗୁରୁ ଈଶ୍ୱର ପ୍ରାପକ ହେ ।
ଭବରୋଗ ବିକାର ବିନାଶକ ହେ ।
ମନ ଯେନ ରହେ ତବ ଶ୍ରୀଚରଣେ ।
ଗୁରୁଦେବ ଦୟାକର ଦୀନଜନେ ।।
ଶ୍ରୀ ଗୁରୁ ବନ୍ଦନା
ଭାଷା: ସଂସ୍କୃତ
ଗୁରୁବ୍ରହ୍ମା ଗୁରୁର୍ବିଷ୍ଣୁ
ଗୁରୁର୍ଦେବମହେଶ୍ୱରଃ ।
ଗୁରଃ ସାକ୍ଷାତ୍ ପରଂବ୍ରହ୍ମ
ତସ୍ମି ଶ୍ରୀଗୁରବେ ନମଃ ॥
ତ୍ୱମେବ ମାତା ଚ ପିତା ତ୍ୱମେବ
ତ୍ୱମେବ ବନ୍ଧୁଶ୍ଚ ସଖା ତ୍ୱମେବ
ତ୍ୱମେବ ବିଦ୍ୟା ଦ୍ରବିଣଂ ତ୍ୱମେବ
ତ୍ୱମେବ ସର୍ବ ମମ ଦେବୋଦେବଃ ।
ହେ ଆନନ୍ଦମୟ କୋଟି
କବି: ଭକ୍ତକବି ମଧୁସୂଦନ ରାଓ
ହେ ଆନନ୍ଦମୟ କୋଟି ଭୂବନ ପାଳକ
ଅଧମ ଅକ୍ଷମ ମୁହିଁ ଅବୋଧ ବାଳକ
ଜ୍ଞାନ ଦାତା ଭଗବାନ
ଦିଅ ମୋତେ ଶୁଭ ବୁଦ୍ଧି ଦିଅ ଦିବ୍ୟଜ୍ଞାନ ॥
ବ୍ରହ୍ମାଣ୍ଡର ଆଦିମୂଳ ନିଖିଳ ବିଧାତା
ସକଳ କଳୁଷ ହାରି ହେ ମଙ୍ଗଳଦାତା
ତୋର ମଙ୍ଗଳ ସଙ୍ଗୀତ
ନିଖିଳ ଭୂବନ ଗାଏ ହୋଇ ବିମୋହିତ ॥
ତ୍ରିଲୋକ ଭାସ୍କର ଚନ୍ଦ୍ର ନକ୍ଷତ୍ର ନିକର
ଅନ୍ତରୀକ୍ଷେ ସମୀରଣ ସଙ୍ଗେ ଜଳଧର
ପ୍ରଭୁ ଭୂଲୋକ ସାଗର
ଅତଳ ଗହନ ନଦୀ ପଶୁପକ୍ଷୀ ନର ॥
ବିରାଜିତ ତୁହି ନାଥ ସକଳ ଜୀବନେ
ସମ୍ପଦେ ବିପଦେ ସଦା ଜୀବନେ ମରଣେ
ପୂର୍ଣ୍ଣ ମଙ୍ଗଳ ଆଳୟ
ଦେଉଅଛୁ ସର୍ବଜନେ ଅଭୟ ଆଶ୍ରୟ ॥
ସତ୍ୟପଥେ ଧର୍ମପଥେ ଘେନି ଯାଅ ମୋତେ
ଭାସାଅ ପରାଣ ମୋର ତବ ପ୍ରେମ ସ୍ରୋତେ
ପ୍ରଭୁ ପରମ ଶରଣ
ଏ ଜୀବନ ଶ୍ରୀଚରଣେ କଲି ସମପର୍ଣ୍ଣ ॥
କରୁଣା ସାଗର ପ୍ରଭୁ ହେ
କରୁଣା ସାଗର ପ୍ରଭୁ ହେ ଜଗତର ଠାକୁର,
ଘେନ ଆମ ଶିଶୁ ବିନତୀ ସର୍ବେ ଯୋଡୁଛୁ କର ।
କରୁଣା ସାଗର ପ୍ରଭୁ ହେ ଜଗତର ଠାକୁର,
ଘେନ ଆମ ଶିଶୁ ବିନତୀ ସର୍ବେ ଯୋଡୁଛୁ କର ।
ଦେଇଚ ଜନମ ଜଗତ ସେବା କରିବା ପାଇଁ,
ଅବାଟରେ ଗଲେ ଆମକୁ ବାଟ ଦିଅ ବତାଇ ।
କରୁଣା ସାଗର ପ୍ରଭୁ ହେ ଜଗତର ଠାକୁର,
ଘେନ ଆମ ଶିଶୁ ବିନତୀ ସର୍ବେ ଯୋଡୁଛୁ କର ।
ତୁମରି ଦାନ ଏ ଜୀବନ ଲାଗୁ ଦେଶ କଲ୍ଯାଣେ,
ରହିଥାଉ ଆମ ଭକତି ଗୁରୁଜନ ଚରଣେ ।
ଦୁଃଖୀରଙ୍କି ରୋଗୀ ସେବାରେ ଲାଗୁ ମନ ଆମ୍ଭର,
ଝଡ଼ ଝଞ୍ଜା ଡେଇଁ ଯିବାକୁ ଦିଅ ମନରେ ବଳ ।
କରୁଣା ସାଗର ପ୍ରଭୁ ହେ ଜଗତର ଠାକୁର,
ଘେନ ଆମ ଶିଶୁ ବିନତୀ ସର୍ବେ ଯୋଡୁଛୁ କର ।
କ୍ରୋଧ ହିଂସା ଠାରୁ ଦୂରରେ ଆମେ ରହିବା ପାଇଁ,
ଦିଅ ବରିତବ ଶକତି ସବୁ ଯିବୁ ଏଡ଼ାଇ ।
ମନ୍ଦ ଚିନ୍ତା ମନ୍ଦ କରମ ଯାଉ ଆମକୁ ଛାଡ଼ି,
ଦିଅ ସର୍ବଜ୍ଞାନ ସୁବୁଦ୍ଧି ମାଗୁଚୁ ହାତ ଯୋଡ଼ି ।
କରୁଣା ସାଗର ପ୍ରଭୁ ହେ ଜଗତର ଠାକୁର,
ଘେନ ଆମ ଶିଶୁ ବିନତୀ ସର୍ବେ ଯୋଡୁଛୁ କର ।
କରୁଣା ସାଗର ପ୍ରଭୁ ହେ ଜଗତର ଠାକୁର,
ଘେନ ଆମ ଶିଶୁ ବିନତୀ ସର୍ବେ ଯୋଡୁଛୁ କର ।
ତୁମେଟି ଜଗତ କରତା ଦୟାମୟ ଠାକୁର
ତୁମେଟି ଜଗତ କରତା ଦୟାମୟ ଠାକୁର,
ମୋର ମନେ ଦିଅ ଭକତି ଘେନ ମୋର ଜୁହାର ॥
ସଜଫୁଲ ପରି ମହକି ଉଠୁ ଜୀବନ ମୋର,
ଭଲକାମ କରି ସବୁଠି ମୁହିଁ ପାଏ ଆଦର ॥
ମାତୃଭୂମି ମାତୃଭାଷାରେ ମୋର ମମତା ଥାଉ,
ଦେଶବାସୀଙ୍କର ସେବାରେ ମୋର ଜୀବନ ଯାଉ ॥
ଗୁରୁ ଗୁରୁଜନ ବଚନ ସଦା ମାନି ଚଳିବି
ସତ୍ୟ, କ୍ଷମା, ଆଉ ବିନୟ ସଦା ମୁଁ ଆଚରିବି ॥
ଏତିକି ମାଗୁଛି ଠାକୁର କିଛି ନ ମାଗେ ଆଉ,
ଦୁଃଖୀରଙ୍କିଙ୍କର ସେବାରେ ମୋର ଜୀବନ ଯାଉ ॥
କି ସୁନ୍ଦର ଆହା କି ଆନନ୍ଦମୟ
କବି: ଭକ୍ତକବି ମଧୁସୂଦନ ରାଓ
କି ସୁନ୍ଦର ଆହା କି ଆନନ୍ଦମୟ
ଏହି ବିଶାଳ ସଂସାର
ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର
ଅଟେ ଅନନ୍ତ ଅପାର
ଅଟେ ଅନନ୍ତ ଅପାର ॥
ସୂର୍ଯ୍ୟ ଚନ୍ଦ୍ର ତାରା ତୁମ୍ଭରି ଆଜ୍ଞାରେ
ବରଷନ୍ତି ଜ୍ୟୋତି ରାଶି
ସୂର୍ଯ୍ୟ ଚନ୍ଦ୍ର ତାରା ତୁମ୍ଭରି ଆଜ୍ଞାରେ
ବରଷନ୍ତି ଜ୍ୟୋତି ରାଶି
ତୁମରି କୁସୁମ ପ୍ରତି ପ୍ରଭାତରେ
ହସଇ ଆନନ୍ଦେ ଭାଷି
ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର
ଅଟେ ଅନନ୍ତ ଅପାର
ଅଟେ ଅନନ୍ତ ଅପାର ॥୧॥
ଦିଅ ଭକ୍ତି ପ୍ରଭୁ ହୃଦୟେ ମୋହର
ବିରାଜ ନିତ୍ୟ ତହିଁରେ
ଦିଅ ଭକ୍ତି ପ୍ରଭୁ ହୃଦୟେ ମୋହର
ବିରାଜ ନିତ୍ୟ ତହିଁରେ
ସତ୍ୟ ପଥେ ରହି ତୁମ୍ଭରି ଆଶ୍ରାରେ
ଯାଉ ମୋ ଦିନ ମହୀରେ
ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର
ଅଟେ ଅନନ୍ତ ଅପାର
ଅଟେ ଅନନ୍ତ ଅପାର
କି ସୁନ୍ଦର ଆହା କି ଆନନ୍ଦମୟ
ଏହି ବିଶାଳ ସଂସାର
ଧନ୍ୟ ମହାପ୍ରଭୁ ମହିମା ତୁମ୍ଭର
ଅଟେ ଅନନ୍ତ ଅପାର
ଅଟେ ଅନନ୍ତ ଅପାର
ଅଟେ ଅନନ୍ତ ଅପାର
ଅଟେ ଅନନ୍ତ ଅପାର ॥୨॥